ବିଜୟୀ

ବିଜୟୀ
         -ଶ୍ରୀନିବାସ ନାୟକ

କିଏସେ ଦେଇଛି,
ନୀଳ-ସବୁଜ ଦରିଆକୁ
ଅମାପ ବିସ୍ତୃତି?

ରସାତଳ ଗଭୀରତାରେ,
କିଏସେ ଖଞ୍ଜିଛି
ଟିକିଟିକି ମୋତି?

କା’ର ହାତତିଆରି କୁନିଚଢେଇ
ଆକଶ ସାଥିରେ କରେ
ପ୍ରତିଯୋଗିତା ?

କିଏସେ ଭରିଛି,
ଏତେ ଭଲପାଇବା
ଟିକି ପ୍ରଜାପତି ଦେହେ...
ଯିଏ ଚୁମିଚୁମି ଯାଏ
ଏତେସବୁ ଫୁଲ?

ସାଗରର ପରିଧିରୁ
ବିସ୍ତୃତିକୁ ପୋଛିଆଣ,
ଅତଳ ଗଭୀରତାରୁ
ମୋତିଟିଏ ଖୋଜିଆଣ,
ଆକାଶର ପ୍ରତିଯୋଗୀ ସାଜୁଥିବା
ପକ୍ଷୀଟିକୁ ବାନ୍ଧିଆଣ,
ପ୍ରତିଟି ଫୁଲପଖୁଡାକୁ
ଚୁମି ଆସିଥିବା
ପ୍ରଜାପତିଟିଏ ଧରିଆଣ...

ତେବେଯାଇ ଉଡାଇବ,
ତୁମେ,
ବିଜୟୀ ର ଧ୍ୱଜା |
------

ମୋ ଘର

ମୋ ଘର
                            -ଶ୍ରୀନିବାସ ନାୟକ
ଊପରକୁ ଚାହିଁଲେ ଦିଶେନି
ଈନ୍ଦ୍ରଧନୁ
ଝୁଲୁଥାଏ ମେଂଚାଏ
ବୁଢିଆଣୀ ଜାଲ
ଚାରିଦିଗେ ଦିଶେନି ଦିଗନ୍ତ
ସବୁଆଡେ ଆବୁଡା ଖାବୁଡା
ମାଟିକାନ୍ଥ...

ସକାଳ ସୁରୁଜ ଦିଶେନି ଏଇଠି
ପୂର୍ଣିମାର ଚାନ୍ଦ ଯହିଁ ଲୁଚେ,
ମାଟିତେଲର ଡିବିହିଁ ସର୍ବସ୍ୱ...

ନାହିଁ ପୁଣି ଶରତ ସମୀର,
ରଣଭୂମି ସାଜେ
ବତାଦିଆ ଝରକା;
ବାହାରର ବିଲଛୁଆଁ ପବନ
ଆଉ ଭିତରର କଳାଧୂଆଁ...

ବସନ୍ତର କୋ‍ଇଲି ଗାଏନି ଏଇଠି
ଖାଲି ଯାହା ଖାଁ ଖାଁ ଲାଗେ
ଉପହାସ୍ୟ ବିକ୍ରମର ରାଜ ତୋରଣ
ରାଜତ୍ୱ ଏଇଠି, ଶାଳକାଠ ତିଆରି
ରଙ୍ଗ ଛଡା ଦରଜା’ର...

ଘାସ ପଡିଆର
ସବୁଜିମା ନାହିଁ ଏଠି,
ଖାଲି ଯାହା ବାଲି ସର ସର
ଗୋବରଲିପା ଦୁଆର...

ଭାସେନି କେବେ ଏଇଠି
କଳା ଆଉ ଧଳାର ବାଦଲ,
ଭାସି ବି ପାରେନି, କଳାମାଟି ର
ଖପର ଟାଇଲି...
ନଥିଲେ ବି ବେଶି କିଛି ଏଠି
ମୋ ଘର ଭଲ |
----------

ସଂଜବତୀ


ସଂଜବତୀ
                                              -ଶ୍ରୀନିବାସ ନାୟକ

ସୁରୁଜ ଲୁଚିଲେ       ଚାନ୍ଦ ହସିଦେଲେ
ବେଳ ଯେବେ ଯାଏ ଗଡି,
ଗୋଧୂଳି ଲିଭିଲେ       ତାରା ଫୁଟି ଗଲେ
ଅନ୍ଧାର ଆସ‍ଇ ମାଡି |

ଧରା ରାଣୀ ଆମ       ନୂଆ ବେଶ ସାଜେ
ତମସାର ରଙ୍ଗ ମାଖି,
ପରଜାପତି ଯେ       କାହିଁ ଶୋ‍ଇଯାନ୍ତି
ଖୋଜି ପାରେନି ମୋ ଆଖି |

ହଳଦୀ ଆକାଶେ       କେତେଯେ ଜାତିର
ଚଢେଇ ଯାଆନ୍ତି ଉଡି,
ମନର ସାଗରେ       କେତେଯେ ସପନ
ଆଣ‍ଇ ନୂଆ ଲହଡି |

ଜୁଳୁଜୁଳିଆର       ଟିକି ଦେହଟିରେ
ଦ‍ଇବ ଆଲୁଅ ଜଳେ,
କିବା ଦୋଷେ ଆମ       ଜୀବନ ଜାତକେ
ସୁଖ ଠାରୁ ଦୁଃଖ ବଳେ ?

ଗାଁ ଦେଉଳର       ସଂଖ ଘଣ୍ଟ ତାଳେ
ଗାଏ ମା’ର ଜଣାଣ,
ସଂଜବତୀ ନେଇ       ଆରତୀ ବେଳରେ
ଏତିକି ମୋ ନିବେଦନ |
-----------

ନିଶିଥର ସ୍ୱପ୍ନ

ନିଶିଥର ସ୍ୱପ୍ନ
                     -ଶ୍ରୀନିବାସ ନାୟକ
ନିଶିଥ ଆସ‍ଇ ଯେବେ
ମୁଁ ଦେଖେ ସ୍ୱପ୍ନ
ଦେଖ ତୁମେ ବି...
କିନ୍ତୁ, ସେ କ’ଣ ନିଜେ ସ୍ୱପ୍ନ ଦେଖେ
ଯିଏ ଦେଖାଏ ସବୁକୁ ସ୍ୱପ୍ନ
ସେଇ ଯେ ନିଶିଥ...

କିଏ ହେବ ତା’ର ସାଥୀ ?
କିଏ ହେବ ତା’ ପୀରତି ?
ତା’ ବୋଲି କ’ଣ
ସେ କେବେ ବି ଦେଖିବନି ସ୍ୱପ୍ନ ?
କେବେ ଲାଗେ ନିଦ ତା’କୁ ?
କେବେ ତା’ ସକାଳ ?
କିଏ କେବେ ଦେଖିଚ କି ?

ଶୀତଳ ବା‍ଆ ତା’ର ସାଥୀ
ନିସ୍ତବ୍ଧତା, ସଖା
ଝିଙ୍କାରିର ସ୍ୱର ତା’ର ବନ୍ଧୁ
ଆଉ, ଚନ୍ଦ୍ରମା ପୀରତି
କାହାକୁ ସେ ଦେଖିବ ସ୍ୱପ୍ନରେ
କାହା ପା‍ଇଁ ବଂଚିବ ସେ
ନୀରବ ନିଶିଥ ?

ରାତିର ଶୂନ୍ୟତା ଯେବେ
ବହଳିଆ ହୋ‍ଇଆସେ
ଜହ୍ନ ଯେବେ ଯାଏ ଥକି
ମସି‍ଆ ତାରା ଗହଣେ
ନିଶିଥର ସଂଯ ଆସେ ନ‍ଇଁ
ରାତି କ’ଣ ତା’ ପାଇଁ
ସ୍ୱପ୍ନ ନେଇ ଆସେ ?

ବୋଧେ...
ଅନ୍ଧାରର ଛା‍ଇ ଆଉ
ନଈକୂଳ ନୀରବତା
ଗଙ୍ଗଶିଉଳିର ବାସ୍ନା ଆଉ
ଝାଉଁବଣର ଗୁଂଜନ
ଏ‍ଇ ସବୁ ତା’ର ସ୍ୱପ୍ନ...
ନାୟକ ନୟିକା
ନିଶିଥ ସ୍ୱପ୍ନର...
------

ବସନ୍ତ


ବସନ୍ତ
           -ଶ୍ରୀନିବାସ ନାୟକ

ନାଲି ସୁରୁଜ,
ଯେବେ ବୁଣେ ତାର ରଙ୍ଗ
ନୀଳ ଆକାଶ,
ଯେବେ ମାଖିହୁଏ ହଳଦି
କାଚ ତିଆରି ଜହ୍ନ,
ଯେବେ ମିଶିଯାଏ ଆକାଶ ଛାତିରେ...
ତା’ରି ନାଁ ମୁଁ ଦେବି ବସନ୍ତ |

ମୋ ବଗିଚାର କଁଅଳ କୁସୁମ,
ଯେବେ ଖୋଲେ ତା ପାଖୁଡା
ନରମ ଦେହରୁ ତା’ର,
ଯେବେ ଝାଡି ଦିଏ ଟିକି ଟିକି କାକରର ବିନ୍ଦୁ
ସବୁଜ ଚାଦର ପରେ,
ଯେବେ ନାଚେ ସିଏ ଥିରି ଥିରି...
ତା’ରି ନାଁ ମୁଁ ଦେବି ବସନ୍ତ |

ସବୁଜ ପଣତ,
ଯେବେ ପାରିଦିଏ ମୋ ମା’ ମାଟି
ଶୀତଳ ସମୀର,
ଯେବେ ଆଉଁସି ଦିଏ ମୋ ତନୁ ମନ
ଖୁସିରେ ଏ ନଦିପଠା,
ଯେବେ ଗାଇ ଉଠେ କୁଳୁ କୁଳୁ ନାଦେ...
ତା’ରି ନାଁ ମୁଁ ଦେବି ବସନ୍ତ |

କୋ‍ଇଲି ତା ମନେ ମନେ,
ଯେବେ ଗା‍ଇ ଯାଏ ଖୁସିର କାକଳି
ଆମ୍ର ବନ ପୂରିଉଠେ,
ଯେବେ ବ‍ଉଳ ବାସ୍ନାରେ
କଁଅଳ ପତର ତା’ର,
ଯେବେ କୃଷ୍ଣ ରଙ୍ଗ ପିନ୍ଧେ...
ତା’ରି ନାଁ ମୁଁ ଦେବି ବସନ୍ତ |

ଟିକି ଆମ ଜହ୍ନ ମାମୁଁ,
ଯେବେ ମୁଁହ ଖୋଲି ହସେ
ଧୁଆଁଳିଆ ବାଦଲ,
ଯେବେ ଉଡିଯାଏ ଶୀତଳ ବା‍ଆରେ
ସୁବାସିତ ନୀରବ ରଜନୀ,
ଯେବେ ଝାଡି ଦିଏ ତାରାର ଚୁମୁକି...
ତା’ରି ନାଁ ମୁଁ ଦେବି ବସନ୍ତ |
--------

ସ୍ୱାଧୀନତା

ସ୍ୱାଧୀନତା
            -ଶ୍ରୀନିବାସ ନାୟକ

ଦିନ ପରେ ଦିନ
ରାତି ପରେ ରାତି
ଚାଲିଯାଏ
ଧରା ତ ଦିଏନି କେବେ କାହା ହାତରେ...
କେମିତି ପାରିବି ରୋକି
ମୁଁ ତ ଜାଣିନି |

ଚନ୍ଦ୍ରମାର ମୁଁହ ଦେଖି
ଅଳସ ରଜନୀଗନ୍ଧା
ପାଖୁଡା ତା ଦିଏ ମେଲି...
ଗନ୍ଧର ଜୁଆର ତାର
ପାରିବକି କିଏ ରୋକି ?

ପୂର୍ଣିମାର ରାତି ଯେବେ
ଆସ‍ଇ ପାଖେଇ
ଜାଣିନି ସେ କେମିତି ଜାଣ‍ଇ
ବିଶାଳ ଶରୀର ତାର ସ୍ଫିତ କରି
ଖେଳାଏ ଜୁଆର ତାରେ...
ଭବିଚକି କିଏ କେବେ
ପରିବ ତାହାରେ ରୋକି ?

ମଧୁ ଜ୍ୟୋତ୍ସ୍ନା ଢାଳେ ଯେବେ
ଶଶି ତାର ପୂର୍ଣମୀ କୋଳରେ
ତରୁରାଜି ଚମକନ୍ତି
ଜ୍ୟୋତ୍ସ୍ନାରେ ତାହାର...
ଜଳଜୀବ ଉହୁଁକି ଉଠନ୍ତି
ରୋକି ପାରିବକି ସେଇ ମୁହୂର୍ତ୍ତକୁ ?

ଯଦି ବନ୍ଧୁ କିଏ କେବେ
କରିଚ ସାହସ
ଧରିବାକୁ ଚନ୍ଦ୍ରମା,
ତୋଳିବକୁ ତାରା,
ଆଣି ଦେବ ଜଦି ମୋତେ ଏ ସବୁକୁ
ମନେ ରଖିବି ଜନ୍ମ ପରେ ଜନ୍ମ...
ଯଦି ନପାରିବ
କୁହ ମୋତେ...
ନାଁ ତାର ଦେବି ସ୍ୱାଧୀନତା |
----

କାଳିଆ କାହ୍ନୁ

କାଳିଆ କାହ୍ନୁ
                      -ଶ୍ରୀନିବାସ ନାୟକ

କିଏ କହେ, ହାତ ନାହିଁ ତା’ର?
ସବୁ ତ ତା’ରି ହାତରେ...

କିଏ କହେ, ପାଦ ନାହିଁ ତା’ର?
ବଳି ବଦ୍ଧ କାହା ପାଦ ତଳେ?

କିଏ କହେ, ଚକା ଆଖି ତା’ର?
ବାଙ୍କ ଚାହାଣୀ ତା’ର ଗୋପଗୋପୀ ହରେ

କିଏ କହେ, ନାଲି ଅଧର ତାହାର?
ସବୁବେଳେ ତ ସରଲବଣୀ ଅ‍ଇଁଠା ତା’ ଓଠ

କିଏ କହେ, ନୀଳଚକ୍ର ସେ ଉଡାଏ?
ମଥାରେ ତ ତା’ ମୟୂରଚନ୍ଦ୍ରିକା...

କିଏ କହେ, ସେ କିଛି ବି ଶୁଣେନା?
କାନେଇ ଥାଏ କିଏସେ ରାଧାର ପାଉଁଜି ଗୁଞ୍ଜନ? 
-------